Unknown

 

 

 

 

 

 

 

 

 

ଦୂତୀବୋଧିନୀ ଚଉତିଶା

ଶ୍ରୀ ଅରକ୍ଷିତ ଦାସ

 

(କବିଙ୍କର ଏହି ‘ଦୂତୀବୋଧିନୀ ଚଉତିଶା’ ଆଧ୍ୟତ୍ମିକ ଦର୍ଶନ, ଭକ୍ତିଭାବ ଉପରେ ଆଧାରିତ । ଏହା ଏକ ଉତ୍କୃଷ୍ଟ ରଚନା । ମାୟା ସଂସାରରେ ମୋହଗ୍ରସ୍ତ ମଣିଷ ପଥ ଭୁଲିଯାଇଛି । ଜୀବନ ଦର୍ଶନ, ପିଣ୍ଡବ୍ରହ୍ମାଣ୍ଡ ତତ୍ତ୍ୱ, ଶ୍ରୀକୃଷ୍ଣ-ରାଧାଙ୍କ ଅପୂର୍ବ, ଅଲୋକିତ ପ୍ରେମଲୀଳା ଏଥିରେ ବର୍ଣ୍ଣିତ । ନାମ ହିଁ ସମସ୍ତ ଦୁଃଖ ବିନାଶକାରୀ-ଚଉତିଶାର ସାରକଥା ।)

 

କର ଧରି ରାଧା ଦୂତୀର ପୁଣି

କୋମଳ କରି କହୁଛନ୍ତି ବାଣୀ

କର ଗୋ ଦୂତୀ ତୁହି ତୋତେ ଧ୍ୟାନ

କାଳିନ୍ଦୀ କୂଳରେ ନନ୍ଦ ନନ୍ଦନ ଗୋ

କରିବା ଚାଲ ଦର୍ଶନ ଗୋ

କାଳିନ୍ଦୀ କୂଳରେ କଦମ୍ବ ମୂଳରେ କଳାକାର ନିରଞ୍ଜନ ।୧।

 

 

ଖଟୁଛନ୍ତି ଅଷ୍ଟ ସଖୀ ପୟରେ

ଖେଳ କଉତୁକ ରଙ୍ଗ ରସରେ

ଖୀନ ନାଳପରେ ତାଙ୍କ ଆଶ୍ରମ

ଖଟାଅ ସଖୀ ତୋ ମନ ପବନ

ଖଟିବା ଯେ ଶ୍ରୀପୟରେ ଗୋ

ଖଟୁଛନ୍ତି ଯା’କୁ ଯୋଗେଧ୍ୟାନେ ମୁନି, ସେ ଛନ୍ତି ଆମ୍ଭ ହୃଦୟରେ ।୨।

 

 

ଗଡ଼ କରିଛି ଗିରି ପଶ୍ଚିମରେ

ଗଙ୍ଗା ଯମୁନା ସରସ୍ୱତୀ ତୀରେ

ଗୋଲକ ବୈକୁଣ୍ଠ ସେହି ଭୁବନ

ଚଳାଅ ସଖୀ ତୋ ମନ ପବନ

ଗୁମ୍ଫାରେ ଛନ୍ତି ଶ୍ରୀହରି ଗୋ

ଗର୍ଜ୍ଜନ କରୁଛି ଅହି ସେ ଠାବରେ ନ ଆସିବୁ ଡରି ଫେରି ।୩।

 

 

ଘର ଭିତରକୁ ପେଲିଣ ପଶ

ଘନଶ୍ୟାମ ନାମ ହୃଦରେ ଘୋଷ

ଘନ ଗର୍ଜ୍ଜନକୁ ନ ଡର ସହୀ

ଘୋଷ ଗୁରୁ ଆଜ୍ଞା ହୃଦରେ ତୁହି

ଘୁଞ୍ଚି ନ ଆସିବୁ କ୍ଷଣେ ଗୋ

ଘରେ ତୋ ଚିତ୍ତକୁ ମଜାଇ ରଖିଲେ କି କରି ପାରିବେ ବିଘ୍ନେ ।୪।

 

 

ଓଲଟି କଦମ୍ବ ମୂଳକୁ ଚାହାଁ

ଓଲଟ ପବନ ଉଜାଣି ବାହା

ଓଁ କାର ଉପରକୁ ତଳେ କର

ଉଇଁ ରହିଅଛି ତହିଁ ମଧ୍ୟର ଗୋ

ଅନୁଭବ ସୂତ୍ରେ ବାର ଗୋ

ଅଣ ସାଧନାରେ ଓଲଟ ଯମୁନା ବନ୍ଧ ବନ୍ଧାଇଣ ଧର ।୫।

 

ଭାବାର୍ଥ- (୧-୫) ଦୂତୀର ହାତ ଧରି ରାଧା କୋମଳବାଣୀରେ କହିଲେ- ତୁ ନିଜେ ଯମୁନା କୂଳକୁ ଯାଇ କୃଷ୍ଣଙ୍କୁ ଧ୍ୟାନ କର । ଚାଲ ସେଠାକୁ ଯାଇ କଦମ୍ବ ମୂଳରେ ପ୍ରଭୁଙ୍କୁ ଦର୍ଶନ କରିବା ।

ତାଙ୍କ ପାଦ ତଳେ ଅଷ୍ଟସଖୀ ଖଟୁଛନ୍ତି । ରଙ୍ଗ ରସରେ ମାତିଛନ୍ତି । ପ୍ରଭୁଙ୍କ ପାଖରେ ଯାଇ ଆମେ ସମସ୍ତେ ଖଟିବା । ତାଙ୍କର ପାଦକୁ ପାଇବା ପାଇଁ ମୁନି ଋଷିମାନେ ଯୋଗ ଧ୍ୟାନରେ ବସିଛନ୍ତି । ଆମ ହୃଦୟରେ ସେଇ ବନମାଳୀ ଅଛନ୍ତି ।

ପଶ୍ଚିମ ଗିରି ଦେଶର ଗଡ଼ରେ ଯେଉଁଠି ଗଙ୍ଗାଯମୁନା ତଟ ରହିଛି, ସେଠାରେ ବୈକୁଣ୍ଠ ଭବନ । ତୁ ସଖୀ ସେଠାକୁ ମନ ପବନରେ ଚଳିଯା । ଶ୍ରୀହରି ଗୁମ୍ଫାରେ ବିଦ୍ୟମାନ । ସେଠାରେ ସର୍ପ ଗର୍ଜନ କରୁଛି । ଡରିକରି ସେଠାରୁ ଫେରି ଆସିବୁନି। କବି ଏଠାରେ ତାତ୍ତ୍ୱିକ ଦୃଷ୍ଟିରୁ ନିରାକାର ବ୍ରହ୍ମତତ୍ତ୍ୱ ଦର୍ଶନର ସୂଚନା ଦେଇଛନ୍ତି ।

ଯେଉଁ ଘର ମଧ୍ୟରେ ଭଗବାନ ବାସ କରୁଛନ୍ତି, ସିଏ ଦୁର୍ଭେଦ୍ୟ । ଜୋର କରି ତା’ ମଧ୍ୟରେ ପଶ । ଘନଶ୍ୟାମଙ୍କ ନାମକୁ ସର୍ବଦା ହୃଦମଧ୍ୟରେ ଘୋଷ । ଲୋ ସଖୀ, ଘନ ଗର୍ଜନକୁ ନ ଡରି ଗୁରୁଙ୍କ ଆଜ୍ଞାରେ ପବିତ୍ର ନାମକୁ ଘୋଷ । କ୍ଷଣିକ ପାଇଁ ମଧ୍ୟ ଘୁଞ୍ଚିବୁନି । ଘର ଭିତରେ ତାଙ୍କ ଚିତ୍ତକୁ ମଜ୍ଜାଇ ରଖିଲେ କୌଣସି ବିଘ୍ନ ତୋ ପାଖକୁ ଆସିବନି ।

ରେ ସଖୀ, ଓଲଟି କଦମ୍ବମୂଳକୁ ଚାହାଁ, ଓଲଟ ପବନ, ଉଜାଣି ବାହା, ଓଁକାର ଉପରକୁ ତଳେ କର । ତା’ମଧ୍ୟରେ ଅଛି । ଅଣ ସାଧନାରେ ଓଲଟ ଯମୁନା ବନ୍ଧ ବାନ୍ଧିବୁ। ଏ ଶରୀର ଓଲଟ କଦମ୍ବ ବୃକ୍ଷ । ଶରୀର ମଧ୍ୟରେ ଶ୍ୱାସ ଓଲଟ ପବନ ପରି ବହୁଛି । ଅହରହ ସେଥିମଧ୍ୟରୁ ଓଁକାର ଧ୍ୱନି ଶୁଭୁଛି । ସାଧାନା ବଲରେ ତାକୁ ଆୟତ କର ।

ଚାହାଁ ସଖୀ ତୋର ହୃଦକୁ ତୁହି

ଚିତ୍ତକୁ ନାସା ଟେକପରେ ଥୋଇ

ଚନ୍ଦ୍ର ସୂର୍ଯ୍ୟକୁ ବନ୍ଦୀ କରି ରଖ

ଚାହିଁ ବସିଥିବୁ ପଶ୍ଚିମ ପାଖ

ଚକ୍ଷୁରୁ ନ ବହୁ ବାରି ଗୋ

ଚଞ୍ଚଳ ଚିତ୍ତକୁ ସ୍ଥିର କରିଥିଲେ ତେବେ ତାଙ୍କୁ ଧରି ପାରି ।୬।

 

ଛାଡ଼ ସଖୀ ମନୁ ସକଳ ଆଶା

ଛଡ଼ ଚକ୍ର ପରେ ରଖ ଭରସା

ଛାଇ ହାଇ ଦୁହିଁଙ୍କୁ ଯାଆ ଖାଇ

ଛାମୁଁ ଦରଶନେ ରହ ତୁ ଯାଇ ଗୋ

ଛାଡ଼ି ନ ଆସ ସେ ସ୍ଥାନ ଗୋ

କ୍ଷଣେ ଦଣ୍ଡେ ରହି ଫେରି ଆସୁଥିଲେ କେ କରି ପାରିବ ବିଘ୍ନ ।୭।

 

ଜଞ୍ଜାଳ ଜାଲ ନୟନରୁ କାଟ

ଜାଗିଲେ ପାଇବୁ ପରମ ଭେଟ

ଯିବାକୁ ସଂକଟ ବହୁ ଦୁର୍ଗମ

ଜାଗ୍ରତରେ ରହି କର ଦର୍ଶନ

ଯମୁନା ତଟରେ ଯାଇ ଗୋ

ଜଗତ ବନ୍ଧୁ ଅରୂପରେ ଅଛନ୍ତି ଚାହିଁଲେ ଭୂପ ଦିଶଇ ।୮।

 

ଝାଡ଼ଗିରି ପର୍ବତରେ ତୁ ପଶ

ଝାଡ଼ ଜନ୍ତୁଙ୍କୁ ଠେଲିଦେଇ ନାଶ

ଝଗଡ଼ା କି କରି ପାରେ ଲୋ ସହୀ

ଝାଡ଼ି ଦିଅ ଅନାହତକୁ ଧ୍ୟାୟୀ

ଝଗଡ଼ା କର ସେ ସ୍ଥାନେ ଗୋ

ଝଲମଲ ହୋଇ ନୟନେ ନାଚନ୍ତି ତାଙ୍କୁ ଧର ତତ୍ତ୍ୱଜ୍ଞାନେ ।୯।

 

ନିର୍ଦ୍ଦୟ ନିଷ୍ଠୁର ପରମ ମୂର୍ତ୍ତି

ନିରେଖି ଚାହିଁଲେ ଦିଶେ ତା ଜ୍ୟୋତି

ନୟନ ନ ଟାଳି ଯେବେ ଭଜଇ

ନିଶ୍ଚୟ ଆସି ତା ପାଶେ ମିଳଇ

ନିଷ୍ଠୁର ହୃଦୟ ଛାଡ଼ି ଗୋ

ନେଇ ସୁଧାପାନ ତାହାଙ୍କୁ କରାନ୍ତେ ଯେ ଥାଇ ଯେ ଭାବେ ଜଡ଼ି ।୧୦।

 

ଭାବାର୍ଥ- (୬-୧୦) ରେ ସଖି, ତୁ ତୋର ହୃଦୟକୁ ନିରେଖି ଦେଖ । ମନକୁ ନାସା ଉପରେ ଥୋଇ ଚନ୍ଦ୍ର ସୂର୍ଯ୍ୟଙ୍କୁ ବାନ୍ଧି ରଖ । ପଶ୍ଚିମ ପାଖକୁ ଚାହିଁ ବସିଥିବୁ । ଆଖିରୁ ତୋର ଲୁହ ନ ଝରୁ । ଚଞ୍ଚଳ ଚିତ୍ତକୁ ସ୍ଥିର ରଖ । ତା’ ହେଲେ ଯାଇ ପ୍ରଭୁଙ୍କୁ ପାଇବୁ । ନାସାର ଦୁଇପୁଡ଼ା ଚନ୍ଦ୍ର ସୂର୍ଯ୍ୟ । ମନ ହେଉଛି ଅସ୍ଥିର । ସ୍ଥିର ମନରେ ପ୍ରାର୍ଥନା କଲେ ଭଗବତ ପ୍ରାପ୍ତି ଘଟିବ ।

 

ରେ ମନ, ସକଳ ଆଶାକୁ ପରିତ୍ୟାଗ କରି ପ୍ରଭୁଙ୍କ ଉପରେ ଭରସା ରଖ । ମୋହ ମାୟାକୁ ଛାଡ଼ି ପ୍ରଭୁଙ୍କ ଦର୍ଶନରେ ମନ ଲଗା । ଭଗବାନଙ୍କର ସେଇ ପବିତ୍ର ସ୍ଥାନକୁ ଛାଡ଼ି ଆସେନା-। ପ୍ରଭୁଙ୍କ ଶରଣ ପଶିଥିଲେ, କୌଣସି ବାଧାବିଘ୍ନ ଜୀବନରେ ଆସିବ ନାହିଁ ।

 

ତୋ ଚକ୍ଷୁ ଆଗରେ ଜଞ୍ଜାଳରେ ଜାଲ ଘେରି ହୋଇ ରହିଛି । ମୋହ ମାୟାରେ ଘାଣ୍ଟି ହେଉଛୁ । ସେ ଜାଲକୁ କାଟିଲେ ହିଁ ପରମେଶ୍ୱରଙ୍କ ସାନ୍ନିଧ୍ୟ ପାଇବୁ । ପ୍ରଭୁଙ୍କୁ ପାଇବାକୁ ହେଲେ ବହୁ ସଙ୍କଟ, ଦୁର୍ଗମ ପଥକୁ ଅତିକ୍ରମ କରିବାକୁ ହେବ । ସାବଧାନତାର ସହିତ ସଂସାରରେ ଯାତ୍ରା ପଥକୁ ଚାଲିବାକୁ ହେବ । ଯମୁନା ତଟରେ ଯାଇ ତାଙ୍କୁ ଦର୍ଶନ କରିବୁ । ଜଗତର ବନ୍ଧୁ ଅରୂପ ସେ-। ତାଙ୍କ ଭିତରେ କିନ୍ତୁ ସମଗ୍ର ବିଶ୍ଵବ୍ରହ୍ମାଣ୍ଡ ପୂରି ରହିଛି ।

 

ଝାଡ଼ଗିରି ପର୍ବତରେ ତୁ ପଶି ତାଙ୍କୁ ଦର୍ଶନ କରିବୁ । ଅସଂଖ୍ୟ ଜୀବଜନ୍ତୁ ସେଠାରେ ବାସ କରୁଛନ୍ତି । ସେ ସବୁକୁ ଠେଲି ଦେଇ ପ୍ରଭୁଙ୍କ ପାଖରେ ଶରଣ ପଶ । ଝଲମଲ ହୋଇ ଚକ୍ଷୁ ସାମନାରେ ସେ ନାଚୁଛନ୍ତି । ତତ୍ତ୍ୱ ଜ୍ଞାନରେ ତାଙ୍କୁ ବାନ୍ଧି ରଖ ।

 

ପରମ ଈଶ୍ଵର, ପରମ ଠାକୁର ପ୍ରଭୁ ଭଗବାନ । ସହଜରେ ଧରା ଦିଅନ୍ତି ନାହିଁ, ମୁନି ଋଷିମାନେ କଳ୍ପକଳ୍ପ ତପସ୍ୟା କରୁଛନ୍ତି, ତାଙ୍କୁ ଯିଏ ଅନ୍ତରର ସହିତ ଖୋଜିଛି , ନିରେଖି ଚାହିଁଛି ସେଇ ପରମ ମୂର୍ତ୍ତିର ଜ୍ୟୋତିକୁ ଲାଭ କରିଛି । ଭକ୍ତିର ସହିତ ପ୍ରଭୁଙ୍କୁ ଡାକିଲେ, ସେ ନିଷ୍ଠୁର ଭାବ ଛାଡ଼ି ନିଶ୍ଚୟ ଭକ୍ତ ପାଖରେ ଆସି ପହଞ୍ଚିବେ । ଭକ୍ତର ଭାବରେ ପଡ଼ିଯିବେ ।

 

ଟେକ ସଖୀ ମନ ପବନ ତୁହି

ଟାକି ବସ ଅନାହତକୁ ଧ୍ୟାୟୀ

ଟଳିବୁ ନାହିଁ ଯେପରି ମିତଣୀ

ଟାଣି ହୃଦେ ଗଣ୍ଠି ଦିଅ ତୁ ଆଣି

ଟେକି ସୂତ୍ରଦ୍ୱାରେ ବାର ଗୋ

ଟାଣ ଛାଡ଼ି ଦୂତୀ କାଳନ୍ଦୀରେ ପଶି ଭେଟିଲେ ମୂରଲୀଧର ।୧୧।

ଠାକୁରାଣୀଙ୍କ ସଙ୍ଗେ ଦୂତୀ ଗଲେ

ଠାକୁର ପୂର୍ଣ୍ଣାନନ୍ଦଙ୍କୁ ଭେଟିଲେ

ଠାବ କରି ଦୂତୀ ନ ଆସେ ଫେରି

ଠୁଳ ଶୂନ୍ୟକୁ ଆସିଛି ଆବୋରି

ଠିକଣା ପାଇଲା ଦୂତୀ ଗୋ

ଠିକେ ଅରକ୍ଷିତ ଭାବରେ ଭଣିଲେ ଠିକେଛନ୍ତି ବ୍ରହ୍ମମୂର୍ତ୍ତି ।୧୨।

ଡାକନ୍ତି ରାଧା ଯେ ଦୂତୀକୁ ଚାହିଁ

ଡୋଳୁ ଖସିଆସ ଗୋ ପ୍ରାଣସହୀ

ଡୋଳା ଉପରକୁ ତୁ ଲୟ କର

ଡୋଳେ ପୂରିଛନ୍ତି ପ୍ରାଣ ଈଶ୍ୱର

ଯାଇ ବୁଝ ପ୍ରାଣ ସହୀ ଗୋ

ଡରେ ଥରହର ହୋଇଣ ଦୂତୀ ଜୀବ ପରମୁ ଖସଇ ଗୋ ।୧୩।

ଢଳ ଢଳ ରୂପ ଆଜ ମିତଣୀ

ଢାଙ୍କୁଣି ଫେଡ଼ି ଦେବାଇଲୁ ଆଣି

ଢୋଳାଉ ଥିଲି ହେତୁ ନ ଥିଲାକୁ

ଢିରା କରି ଦେଖାଇଲୁ ବ୍ରହ୍ମକୁ ଗୋ

ଢମେ ନାହିଁ ମୋର ଇଚ୍ଛା ଗୋ

ଢଳି ନାଚୁଛନ୍ତି ପରମ ମୂରତି ଦେଖିବାକୁ ମନେ ବାଞ୍ଛା ।୧୪।

ଅପୂର୍ବ ମୂରତି ଦେଖିଲି ସହୀ

ଆଉ ତା ବିନୁ ଅନ୍ୟଗତି ନାହିଁ

ଅଭୟ ଚରଣେ ମୋ ଚିତ୍ତ ରହୁ

ଏ ବର ମାଗୁଅଛି ଆଜ୍ଞା ହେଉ

ଅପୂର୍ବ ମୂରତି ହରି ଗୋ

ଆଉ ତା ବିନୁ ଅନ୍ୟଗତି ନାହିଁ କରିବେ ଭବରୁ ପାରି ।୧୫।

ଭାବାର୍ଥ- (୧୧-୧୫) ରେ ସଖୀ, ତୁ ମନ ମଧ୍ୟରେ ପ୍ରଭୁଙ୍କୁ ଦୃଢ଼ ମନରେ ଧ୍ୟାନ କର । ଟାଣ ହୃଦୟରେ ତାଙ୍କୁ ଭଜନ କର । ସବୁ ଦୁଃଖ ମଧ୍ୟରେ ଟଳିବୁ ନାହିଁ । ଟାଣ ଛାଡ଼ି ଦୂତୀ କାଳିନ୍ଦୀ ଜଳ ମଧ୍ୟରେ ପଶି କୃଷ୍ଣଙ୍କୁ ଭେଟିଲେ ।

 

ରାଧାଙ୍କ ସହିତ ଦୂତୀ ଯାଇ ଠାକୁର ପୂର୍ଣ୍ଣାନନ୍ଦଙ୍କୁ ଭେଟିଲେ । ଠୁଳ ଶୂନ୍ୟକୁ ସେଠାରେ ଆବୋରି ରହିଲେ । ବ୍ରହ୍ମମୂର୍ତ୍ତି ଦର୍ଶନାଭିଳାଷୀ ହୋଇ ଅରକ୍ଷିତ ଦାସ ଭାବରେ ଏ ବିଷୟକୁ ବର୍ଣ୍ଣନା କଲେ ।

 

ଦୂତୀକୁ ଚାହିଁ ରାଧା ଡାକିଲେ- ତାଙ୍କ ଚକ୍ଷୁ ସାମନାରୁ ଖସି ଆସ ବୋଲି କହିଲେ । ପ୍ରଭୁଙ୍କ ଡୋଳାରେ ତୁ ଲୟ ରଖ । ସେଥିରେ ଆମର ପ୍ରାଣର ଈଶ୍ଵର ପୂରି ରହିଛନ୍ତି । ହେ ପ୍ରାଣସହି, ତୁ ଭଲ ଭାବରେ ବୁଝ, ଭୟରେ ଜୀବ ପରମରୁ ଖସୁଛି । ତାଙ୍କୁ ନ ଦେଖିଲେ ଏ ଜୀବନ ଯିବ ।

 

ଲୋ ମିତଣୀ, କୃଷ୍ଣଙ୍କ ସେଇ ଢଳ ଢଳ ଅନିନ୍ଦ୍ୟ ରୂପ ମୋତେ ଆଜି ଦେଖାଇଲୁ । ମୋ ଚକ୍ଷୁ ଧନ୍ୟ ହେଲା । ମୋହ ମାୟାରେ ପଡ଼ି ଚକ୍ଷୁ ମୁଦି ଦେଇଥିଲି, ପାସୋରି ଯାଇ ଢୋଳାଉଥିଲି । ତୁ ମୋତେ ଜାଗ୍ରତ କରାଇ ସେଇ ପରଂବ୍ରହ୍ମଙ୍କୁ ଦର୍ଶନ କରାଇଲୁ । ଲୋ ସଖୀ, ଦେଖ, କେତେ ସୁନ୍ଦର ଭାବରେ ଢଳି ଢଳି ସେ ନାଚୁଛନ୍ତି । ମୋ ମନରେ ଆଉ ଗର୍ବ ନାହିଁ । ତାଙ୍କୁ ଦେଖିବାକୁ ମୋର ମନ ବଡ଼ ଉଚ୍ଛନ୍ନ ହେଲାଣି ।

 

ଲୋ ସହୀ, ମୁଁ ସେଇ ଅପୂର୍ବ ମୂର୍ତ୍ତିକୁ ଦେଖୁଲି । ତା’ ବିନୁ ମୋର ଅନ୍ୟ ଗତି ନାହିଁ । ତାଙ୍କର ଅଭୟ ଚରଣ ତଳେ ସର୍ବଦା ମୋ ମତି ରହିଥାଉ । ମୁଁ ଏ ବର ମାଗୁଛି । ମୋତେ ତାହା ଆଜ୍ଞା ହେଉ । ଅପୂର୍ବ ମୂର୍ତ୍ତି ସେ ହରିଙ୍କ ଛଡ଼ା ମୋର ଅନ୍ୟ ଗତି ନାହିଁ । ସେ ଏ ମାୟାର ସଂସାରରୁ ପାର କରିବେ ।

 

ତ୍ରିବେଣୀରେ ଝାସ ଦେଲି ଗୋ ସହୀ

ତଲେ କରି ତାଙ୍କୁ ମୁଁ ପାଇଲଇଁ

ସ୍ତିରୀ ପୁରୁଷ ଏ ବେନି ଏକ ହୋଇ

ତତ୍ତ୍ୱେ ବୁଝିଲି ଏକ ରୂପ ସେହି

ତୋହଲାଗି ପାଇଲଇଁ ଗୋ

ତାଙ୍କୁ ଦେଖିଲା ବେଳକୁ ରେ ସଙ୍ଗାତ ତରଳିଗଲା ମୋ ଦେହୀ ।୧୬।

ଥାପନା କଲି ମୁଁ ଯନ୍ତ୍ରକୁ ନେଇ

ଥାନେ ଥାନେ ଜ୍ୟୋତି ବ୍ରହ୍ମ ବସଇ

ଥକିତ ହୋଇ ଚାହିଁଦେଲି ମୁହିଁ

ସ୍ଥୂଳ ଶୂନ୍ୟକୁ ଯନ୍ତ୍ର ନ ଗଳଇ

ଥକିତ ହୋଇଲି ମୁହିଁ ଗୋ

ସ୍ଥାନେ ଥାଇ ଜ୍ୟୋତି ବ୍ରହ୍ମ ଡାକଦେଲେ ଲେଖା ଯନ୍ତ୍ରରେ ମୁଁ ନାହିଁ ।୧୭।

ଦେଖ ଏ ଦେଉଳେ ଦେବତା ମୁହିଁ

ଦେହ ତୋ ଯନ୍ତ୍ର ଅନ୍ୟ ମିଥ୍ୟା କହି

ଦିହୁଡ଼ି ହୁଡ଼ାରେ ଦୀପ ଜଳଇ

ଦେଖାନ୍ତି ଗୁରୁ ଅନ୍ୟ ଭାବ ନେଇ

ଦୀପ ପବନେ ଲିଭଇ ଗୋ

ଦେହରେ ନ ବୁଝି ତଳେ ଯନ୍ତ୍ର କାଟି ବୁଝିଲା ଜନେ ନ ପାଇ ।୧୮।

ଧଇଲି ଏ ଶୂନ୍ୟ ବାଣୀକୁ ମୁହିଁ

ଧ୍ୟାନ କଲି ସୂର୍ଯ୍ୟ ମଣ୍ଡଳୀ ଚାହିଁ

ଧିରେ ଧିରେ ମତ୍ତଗଜ ଚାଲିଲି

ଧ୍ରୁବ ମଣ୍ଡଳରେ ଯାଇ ମିଳିଲି

ଧଇର୍ଯ୍ୟ ହଜିଲା ତହିଁ ଗୋ

ଧରିବି ବୋଲି ମନେ ଆଣ୍ଟ କଲି ଆହାବ ପାଇଲା ନାହିଁ ।୧୯।

ନିଶ୍ଚଳ ହୋଇଣ ବସିଲି ମୁହିଁ

ନୀଳାଦ୍ରି ସିଂହ ଭୁବନକୁ ଚାହିଁ

ନୃସିଂହ ରୂପ ହୋଇଛନ୍ତି ହରି

ନାହିଁ ନ ଥିବ ଆଉ ତିନିପୁରୀ

ନବୀନ ମୂରତି ହରି ଗୋ

ନବ ଅବଳା ଆଉ କେହି ଦେଖିଲେ ନ ପାରିବେ ଦେହ ଧରି ଗୋ ।୨୦।

 

ଭାବାର୍ଥ- (୧୬-୨୦) ଲୋ ସହି, ତ୍ରିବେଣୀରେ ଝାସ ଦେଇଥିବାରୁ ମୁଁ ତାଙ୍କୁ ପାଇଛି । ସ୍ତ୍ରୀ-ପୁରୁଷ ଏ ଦୁହେଁ ଏକ-ଏକ ରୂପ । ଏ ତତ୍ତ୍ୱ ମୁଁ ଜାଣିଲି । ତୋ ଲାଗି ମୁଁ ତାଙ୍କୁ ପାଇଛି । ତାଙ୍କୁ ଦେଖିଲା ବେଳଠୁଁ ମୋ ଦେହ ତରଳିଗଲାଣି ।

 

ଜ୍ୟୋତି ବ୍ରହ୍ମଙ୍କୁ ପାଇବା ପାଇଁ ମୁଁ ସାଧନ କରୁଛି । ଯନ୍ତ୍ର ବସାଇଛି । ସ୍ଥୂଳ ଶୂନ୍ୟକୁ କିନ୍ତୁ ଯନ୍ତ୍ର ଚଳୁନାହିଁ । ମୁଁ ହାଲିଆ ହୋଇ ଗଲିଣି । ତଥାପି ବ୍ରହ୍ମଙ୍କୁ ଖୋଜୁଛି ।

 

ଲୋ ମିତଣୀ, ଦେଖ ଏ ଶରୀର ଦେଉଳର ମୁଁ ଦେବତା । ଦେହ ତୋର ଯନ୍ତ୍ର ମିଥ୍ୟାରେ ଗଢ଼ା । ଦିହୁଡ଼ି ହୁଡ଼ାରେ ଦୀପ ଜଳୁଛି । ଅନ୍ୟ ଭାବନେଇ ଗୁରୁ ତାଙ୍କୁ ଦେଖାନ୍ତି । ସେଇ ଦୀପ ଦଲକାଏ ପବନ ଆସିଲେ ଲିଭିଯିବ । ବୁଝିଲା ଲୋକ ହିଁ ଏ ଦେହର ରହସ୍ୟ ବୁଝିପାରିବ ।

 

ଶୂନ୍ୟବାଣୀକି ଶୁଣି, ସୂର୍ଯ୍ୟମଣ୍ଡଳୀକୁ ଚାହିଁ ଧ୍ୟାନ କଲି । ମତ୍ତଗଜ ପରି ଚାଲିରେ ଯାଇ ଧ୍ରୁବ ମଣ୍ଡରେ ମିଳିଲି । ସେଠାରେ ଧୈର୍ଯ୍ୟ ମୋର ହଜିଗଲା । ତାକୁ ଧରିବକୁ ବହୁ ତ ଚେଷ୍ଟା କଲି, ମନରେ ଆଣ୍ଟ କଲି ଭରସା ପାଇଲା ନାହିଁ ।

 

ଫଳରେ ମୁଁ ନିଶ୍ଚଳ ହୋଇ ସେଠାରେ ବସି ପଡ଼ିଲି। କେବଳ ନୀଳାଦ୍ରିନାଥଙ୍କୁ ଭରସା କରିଥାଏ । ଭଗବାନ ଶ୍ରୀହରି ନୃସିଂହ ରୂପ ଧାରଣା କରିଛନ୍ତି । ତିନି ଭୁବନରେ ଏହାର ପଟାନ୍ତର ନାହିଁ । ନବୀନ ମୂର୍ତ୍ତି ସେଇ ହରି । ନବ ଅବଳା ତାଙ୍କୁ ଦେଖିଲେ ଦେହ ଧରି ରହିପାରିବେ ନାହିଁ ।

 

ପଶିବାକୁ ବଡ଼ ସଂକଟ ଏହି

ପଶି ପାରିଲେ କିଛି ଭୟ ନାହିଁ

ପୂର୍ବ ଜନ୍ମରୁ ଯାର ଭାଗ୍ୟ ଥାଇ

ପରମାନନ୍ଦଙ୍କୁ ସେହି ଭେଟଇ

ପାଇ ହୃଦେ ଥାଆ ରହି ଗୋ

ପଢ଼ିବା ଶୁଣିବା ବୁଝାଇବା ଲୋକେ ଯାଇ ନାହାନ୍ତି ସେ ଭୂଇଁ ।୨୧।

ଫୁଲ ମଧ୍ୟେ ଭ୍ରମରା ବସିଛଇଁ

ଫଣା ଟେକି ଅହି ଗର୍ଜ୍ଜୁ ଅଛଇ

ଫୁ ଫୁ ଗରଜନ କରୁଛି ସେହି

ଫୁଲ ମୃଣାଳରେ ମୁଁ ଗଳିଲଇଁ

ଫଣିଧର ଦୟା ବହି ଗୋ

ଫଣାତଳେ ମୋତେ ଗଳାଇଣ ଦେଲେ ଭେଟିଲି କଳା କହ୍ନାଇ ।୨୨।

ବୋଲନ୍ତି ରାଧା ଯେ ଦୂତୀକୁ ଚାହିଁ

ବ୍ୟାଖ୍ୟା ନ କରି ରଖ ତୁ ଘୋଡ଼ାଇ

ବ୍ରହ୍ମା ବିଷ୍ଣୁ ଶିବ ଅଛନ୍ତି ଧ୍ୟାୟୀ

ବାରମ୍ବାର ତୋତେ ଦେଉଛି କହି

ବଟମୂଳେ ହେଙ୍ଗୁଳାଇ ଗୋ

ବାରି ଧରିଥିବୁ ଏକ ଚାରିବାର ଭ୍ରମି ତୁ ନ ଯିବୁ କାହିଁ ।୨୩।

ଭଗାରି ତୋ ମନ ବାଞ୍ଛା ଲୋ ସହୀ

ଭାଙ୍ଗି ତାଙ୍କୁ ଅନାମ ରଟ ତୁହି

ଭାବେ ସହସ୍ର ଦଳେ ଉଦେ ହୋଇ

ଭାବନା ଅଣ ସାଧନା ଅଟଇ ଗୋ

ଭ୍ରମି ତୁ ନ ଯିବୁ କାହିଁ ଗୋ

ଭ୍ରମି ଭ୍ରମି ଦୀନ ଅର୍କ୍ଷିତ ଭଣିଲେ କାୟା ମଧ୍ୟେ ଅଛି ରହି ।୨୪।

ମନଟି ବ୍ରହ୍ମ ହେତୁରେ ଅଛଇ

ମଲା କଥାକୁ ନ ଜାଣନ୍ତି କେହି

ମାଟି ଭିତରେ ଯାର ଦୃଷ୍ଟି ଥାଇ

ମାଟିରୁ ଚାରିଖାନି ସେ ଦେଖାଇ

ମନ ସ୍ଥିର କଲେ ପାଇ ଗୋ

ମାୟା ଜଞ୍ଜାଳ ତା ପାଦେ ସମର୍ପିଣ ଅଲଗାରେ ଥାଅ ରହି ।୨୫।

 

ଭାବାର୍ଥ- (୨୧-୨୫) ପ୍ରଭୁଙ୍କର ହୃଦୟ କନ୍ଦର ବିରାଟ,ଦୁର୍ଗମ । ଏହା ମଧ୍ୟରେ ପଶିବା ବଡ଼ ଦୁଷ୍କର । ଥରେ କିନ୍ତୁ ପଶିଗଲେ ଭୟ ରହିବ ନାହିଁ । ପୂର୍ବ ଜନ୍ମରେ ଯିଏ ପୁଣ୍ୟ ଅର୍ଜିଥିବ, ତାର ଭାଗ୍ୟ ବଳରୁ ସିଏ ପରମାନନ୍ଦଙ୍କୁ ପାଇ ପାରିବ । ତାଙ୍କୁ ଧ୍ୟାନ ନ କରି ଗୁଣୀ, ଜ୍ଞାନୀ, ପଣ୍ଡିତ, ମୁନି ରଷିଗଣ ତାଙ୍କର ସେ ହୃଦୟ ଭୂମିକୁ ଯାଇନାହାନ୍ତି ।

 

ଫୁଲ ମଧ୍ୟରେ ଭ୍ରମର ବସିଛି । ଫଣାଟେକି ଫଁ ଫଁ ହୋଇ ସର୍ପ ଗର୍ଜୁଛି । ଫୁଲ ମୃଣାଳରେ ମୁଁ ଗଳି ଯାଇଛି, ହେ ଫଣୀଧର ମୋତେ ଦୟାକର । ଫଣା ତଳେ ସେ ମୋତେ ଗଳାଇ ଦେଇଛନ୍ତି । ତା’ ମଧ୍ୟରେ କୃଷ୍ଣଙ୍କୁ ଭେଟିଲି ବୋଲି ରାଧା ଦୂତୀକୁ କହିଲେ ।

 

ରାଧା ପୁଣି ଦୂତୀକୁ କହିଲେ- ଲେ ମିତଣୀ, ମୁଁ ତୋତେ ବାରମ୍ବାର କହୁଛି, ବ୍ରହ୍ମା, ବିଷ୍ଣୁ, ଶିବ ତାଙ୍କୁ ସର୍ବଦା ଧ୍ୟାନ କରୁଛନ୍ତି । ବଟ ମୂଳେ ହେଙ୍ଗୁଳାଇ ରହିଛନ୍ତି । ମନରେ ଭ୍ରମ ରଖେ ନାହିଁ । ପ୍ରଭୁଙ୍କ ପାଦ ତଳେ ନିଜକୁ ହଜାଇ ଦେ ।

 

ଲୋ ସହୀ, ତୋ ମନ ତୋ ମନ ତୋର ଭଗାରି । ତାକୁ ବୁଝାଅ । ତାଙ୍କ ନାମ ଧରି ଏ ଭବ ସାଗରରୁ ତରିଯା । ସାଧାନରେ ରତ ହୁଅ । ମିଛ ମାୟାରେ ଭ୍ରମରେ ପଥ ହୁଡ଼ ନାହିଁ । ଅରକ୍ଷିତ ଦାସ କହୁଛନ୍ତି- ମୁଁ ଅନେକ ସ୍ଥାନ ଭ୍ରମି ଭ୍ରମି କାୟା ମଧ୍ୟରେ ରହିଛି । ତାଙ୍କ ପାଦ ପଦ୍ମରେ ଧ୍ୟାନ ଦେ ।

 

ଲୋ ମିତଣୀ, ମନ ହେଉଛି ବ୍ରହ୍ମ । ତାଙ୍କୁ ପାଇବାକୁ ହେଲେ ମନକୁ ଥୟ କର । ତାଙ୍କ ପାଦ ତଳେ ମିଛ ମାୟାର ଜଞ୍ଜାଳକୁ ସମର୍ପି ଦେ । ମୁକ୍ତି ପାଇଯିବୁ ।

 

ଜପ ସଖୀ ତୋର ନାମକୁ ତୁହି

ଜନ୍ମ ମରଣ ହେତୁମତି ଦେଇ

ଯିବା ଆସିବାରେ ତଲୟ ହୋଇ

ଜନେ ବୁଝି ଅଣ ସାଧନ ଏହି

ଜଗମୋହନ ଦିଶଇ ଗୋ

ଜଗତ ମୋହନ ରୂପରେ ଭୁଲିଣ ଖେଳୁଛନ୍ତି ଦେଖ ରହି ।୨୬।

ରାମ ନାମ ଯେଉଁଠାରେ ଅଛଇ

ସଦା ମୃଦଙ୍ଗ ବୀଣା ବାଜେ ତହିଁ

ରସି ରସ ୟେବେ ଧ୍ୱନିକି ଧ୍ୟାୟୀ

ରସିଲା ଅଣ ସାଧନା ଅଟଇ

ରାହାସ ଭୂମି ଦିଶଇ ଗୋ

ରାଧା କୃଷ୍ଣଙ୍କର ଲମ୍ପଟ ଲୀଳାକୁ ରହି ଦେଖୁଥାଅ ତୁହି ।୨୭।

ଲାବଣ୍ୟନିଧି ଅରୂପେ ଅଛଇ

ନେତ୍ର ଲେଉଟାଇ ଚାହାଁ ଲୋ ସହୀ

ଲାଖ ବିନ୍ଧ ନୀଳଚୁଳକୁ ନାହିଁ

ଲେଉଟି ଆସ ଶିକାରକୁ ପାଇ ଗୋ

ଲଭି ସୂତ୍ରେ ଥାଅ ରହି ଗୋ

ଲମ୍ପଟ କପଟ ବାଦ ବିଦ୍ୟା ଅର୍ଥ ବ୍ୟର୍ଥ ଏଥି କିଛି ନାହିଁ ।୨୮।

ବହୁତ ଭ୍ରମ ଏ ତୀର୍ଥ ବ୍ରତଇ

ବିଦ୍ୟାଦି ଆଦି ଏ ରଙ୍ଗ ଅଟଇ

ବୁଝ ଏହି ଭାବ ଦେଉଛି କହି

ବକ ପ୍ରାୟ ବସ ମୀନକୁ ଧ୍ୟାୟୀ ଗୋ

ବ୍ରହ୍ମ ମୀନ ଏ ଅଟଇ ଗୋ

ବାରି ଧରିଥିବୁ ଏକ ଚାରିବାର ଫେଇ ନ କହିବୁ କାହିଁ ।୨୯।

ଶ୍ରୀହରି ପଟଣା ତୋ ଦେହ ସହୀ

ଶ୍ରୀପଦ ଅନୁଚରକୁ ଦିଶାଇ

ରାଧା ଭକ୍ତି ଯାର ହୃଦରେ ଥାଇ

ଶ୍ରୀଭୁଜ ଟେକି ଶରଣ ଯାଚଇ ଗୋ

ଶ୍ରୀଅଙ୍ଗେ ଲୀନ ହୁଅଇ ଗୋ

ସାଧୁମାନେ ଏହି ପଥ ନ ଦେଖାଇ ସାକ୍ଷୀ ଶବଦେ ଭୁଲାଇ ।୩୦।

 

ଭାବାର୍ଥ- (୨୬-୩୦) ଲୋ ସଖୀ, ତୋ ନିଜ ନାମକୁ ତୁ ଜପ କରେ । ଜନ୍ମ ମୃତ୍ୟୁକୁ ହେତୁ କରି ସଂସାରକୁ ଯିବା ଆସିବା କଥାରେ ନିମଗ୍ନ ହୋଇ ଯା । ଆଖି ଆଗରେ ଜଗମୋହନ ନାଚୁଛନ୍ତି । ଜଗତବାସୀ ଜଗତମୋହନ ରୂପରେ ତ ଲୀନ ହୋଇ ଖେଳୁଛନ୍ତି ।

 

ଲୋ ମିତଣୀ, ଯେଉଁଠାରେ ରାମଙ୍କ ନାମ ଅଛି, ସେଠାରେ ସର୍ବଦା ମୃଦଙ୍ଗ, ବୀଣା ବାଜୁଛି । ରାଧାକୃଷ୍ଣଙ୍କର ଅପୂର୍ବ ପ୍ରେମ ଲୀଳା ପବିତ୍ର । ତାଙ୍କୁ ମନ ମଧ୍ୟରେ ଧ୍ୟାନ କର । ତାକୁ ସର୍ବଦା ମନ ମଧ୍ୟରେ ହେଜୁଥା । ତା’ ହେଲେ ମୁକ୍ତି ପାଇବୁ ।

 

ଲୋ ସଖୀ, ପରମେଶ୍ୱର ଅରୂପ, ଚକ୍ଷୁଲେଉଟାଇ ମନକୁ ଦୃଢ଼କରି ତାଙ୍କୁ ଚାହାଁ । ନୀଳାଚଳକୁ ଧ୍ୟାନ କରି ଦୃଢ଼ ଭାବରେ ମନୋନିବେଶ କର । ଉତ୍ତମ ମାର୍ଗ ପାଇବୁ । ସମସ୍ତ ମିଥ୍ୟା, ମାୟା, କପଟାଚାରକୁ ଦୂରେଇ ଦେ ।

 

ତୀର୍ଥ, ବ୍ରତ ଭ୍ରମ ମାତ୍ର । ଲୋ ସଖୀ, ଏହି ଭାବକୁ ତୋତେ ବୁଝାଇ ଦେଉଛି ଶୁଣ, ଭଗବାନଙ୍କୁ ପାଇବାକୁ ହେଲେ ମୀନକୁ ପାଇବା ପାଇଁ ବକ ଯେମିତି ଧାନ କରି ବସିଥାଏ ଅର୍ଥାତ୍ ଏକନିଷ୍ଠ ବ୍ରତ କରିଥାଏ, ସେମିତି କୃଷ୍ଣ ହେଉଛନ୍ତି ବ୍ରହ୍ମମୀନ । ତୁ ତାଙ୍କୁ ପାଇବାକୁ ଯଦି ଚାହୁଁଛି, ତେବେ ବକପ୍ରାୟ ଧାନ କର ।

 

ଲୋ ସହୀ, ଶ୍ରୀହରି ତୋ ଦେହରେ ପୂରିଛନ୍ତି । ତାଙ୍କର ଶ୍ରୀପଦ ଅନୁଚରକୁ ଦିଶୁଥାଏ । ଯାହାର ହୃଦୟରେ ରାଧା ଭକ୍ତି ଥାଏ, ପରମେଶ୍ୱର ତାଙ୍କୁ ବାହୁ ଟେକି ଶରଣ ପ୍ରଦାନ କରିଥା’ନ୍ତି । ଭକ୍ତ ଭଗବାନଙ୍କ ଶ୍ରୀଅଙ୍ଗରେ ଲୀନ ହୋଇଯାଏ । ସାଧୁମାନେ ଭକ୍ତକୁ ଏହି ପଥ ଦେଖାଇଲେ । ସେମାନେ ସଂସାରରୁ ତରିଯିବେ ।

 

ସ୍ପୁରୁଛି ଶବଦ ଯେ ଘରୁ ସହୀ

ସ୍ଥିର ହୋଇ ତାକୁ ଖୋଜଲୋ ତୁହି

ଶୂନ୍ୟ ଅସାଧନ ଏହାକୁ କହି

ସାଧିବା ଏ କିଛି ଦୂରରେ ନାହିଁ

ସିଦ୍ଧ ଅଙ୍ଗ ହୁଅ ତୁହି ଗୋ

ସାଧୁମାନେ ଏହି ପଥ ନ ଦେଖାଇ ଅନ୍ୟ ମାର୍ଗରେ ଭୁଲାଇ ।୩୧।

 

 

ଶୁକଳ ଗଉର ନୀଳ ପୀତ ହିଁ

ସେତ ଯେ ସତ୍ୟ ସୁଶୀଳ ଅଟଇ

ସୁଧର୍ମା ସଭା ଯେ ଏହାକୁ କହି

ସୁସନ୍ଥ ସୁଜନ ତହିଁକି ଯାଇ

ଶୂନ୍ୟ ସମାଧି ଦିଶଇ ଗୋ

ଶୂନ୍ୟରୁ ବଚନ ସନ୍ଥ ସାଧୁଜନ ଚିତ୍ତ ବୃତ୍ତି ରଖ ନେଇ ।୩୨।

 

ହାଟ ଦାଣ୍ଡିଆକୁ ଦେଖ ଲୋ ସହୀ

ହାଟର ନଫା ବୁଝ ତାକୁ ନେଇ

ହୃଦ କମଳ ଖୋଲା କରିଦେଇ

ହରଷେ ଏ ଭାବେ ରହତୁ ଯାଇ ଗୋ

ହରବର ନୁହଁ ତୁହି ଗୋ

ହୃଦ ବଡ଼ପଣ ଛାଡ଼ିଣ ତୁ ପୁଣ ଶରଣ ପଶ ତୁ ଯାଇ ।୩୩।

କ୍ଷେଦ ନ କରିଣ ତା ପାଦେ ଯାଇ

କ୍ଷଣେ ସୁ ହଂସ ଟେକି ବାନ୍ଧ ତୁହି

ଛାର ଦେହ ତୋର ଚିର ନୁହଇ

ଛାଡ଼ିଣ ତୋ ଦେହୁ ଯିବ ପକାଇ

ଛନ୍ଦି ରହ ତାଙ୍କ ତହିଁ ଗୋ

ଛାର ଦୀନ ଦୁଃଖୀ ଅର୍କ୍ଷିତକୁ ଦେଖାଦେବେ କ୍ଷୀରାର୍ଣ୍ଣବ ସାଇଁ ।୩୪।

 

ଭାବାର୍ଥ- (୩୧-୩୪) ଲୋ ସଖୀ, ଶୂନ୍ୟ ଘର ମଧ୍ୟରୁ ଅହରହ ଧ୍ୱନି ଶବ୍ଦ ଶୁଭୁଛି । ତା’ ଭିତରେ କିଏ ଅଛି, ସ୍ଥିରମନା ହୋଇ ଖୋଜେ । ଏହା ଶୂନ୍ୟ ସାଧନ । ସାଧିବାରେ କୌଣସି ଅସୁବିଧା ନାହିଁ । ତୁ ସିଦ୍ଧ ଅଙ୍ଗା ହୁଅ । ସାଧୁମାନେ ଏହି ପଥକୁ ନ ଦେଖାଇ ମନୁଷ୍ୟକୁ ଅନ୍ୟ ମାର୍ଗରେ ଭୁଲାଇ ଦେଉଛନ୍ତି ।

ଶୁକ୍ଳ, ଗଉର, ନୀଳ, ପୀତ ବର୍ଣ୍ଣ- ଏହା ସତ୍ୟ ଓ ସୁଶୀଳ । ଏହା ସୁଧର୍ମା ସଭା ଭାବେ ପରିଚିତ । ସାଧୁସନ୍ଥମାନେ ସେଠାକୁ ଯାଇଥା’ନ୍ତି । ସେଠାରେ ଶୂନ୍ୟ ସମାଧି ରହିଛି । ଶୂନ୍ୟର ବଚନ ଓ ସାଧୁସନ୍ଥଙ୍କ ଚିତ୍ତରେ ମନ ଦିଅ । ମିଛ ସଂସାରରୁ ତରିଯିବ ।

ଲୋ ସଖୀ, ତୋର ହୃଦ କମଳକୁ ଖୋଲିଦେ । ହର୍ଷ ଚିତ୍ତରେ ପରମେଶ୍ୱରଙ୍କୁ ଧ୍ୟାନ କର-। ମୋହ ମାୟାରେ ପଡ଼ି ହରବର ହୁଅନା । ବଡ଼ପଣ, ଗର୍ବ, ଦମ୍ଭକୁ ହୃଦୟରୁ ପରିହାର କରେ । ପରମେଶ୍ଵରଙ୍କ ନିକଟରେ ଶରଣ ପଶେ- ଏ ସଂସାରରୁ ଉଦ୍ଧାର ପାଇଯିବୁ ।

ଲୋ ମିତଣୀ, ମନ ମଧ୍ୟରେ କୌଣସି ଖେଦ, ଦୁଃଖ ନ ରଖି ଭଗବାନଙ୍କ ନିକଟରେ ନିଜକୁ ସମର୍ପି ଦେ । ମନୁଷ୍ୟର ଦେହ ଛାର, ଅଳିକ । ଦିନେ ଆକସ୍ମିକ ଭାବରେ ତୋ ଦେହକୁ ଛାଡ଼ି ଜୀବ ଚାଲିଯିବ । ଛାର ଦୀନଦୁଃଖୀ ଅର୍କ୍ଷିତ ଭଗବାନଙ୍କ ନିକଟରେ ଶରଣ ପଶୁଛି- ତାକୁ ପ୍ରଭୁ ରକ୍ଷା କରନ୍ତୁ । କବିଙ୍କର ଏହା ନିବେଦନ ।

Image